Image by fancycrave1 from Pixabay
ଯୁବ ଶକ୍ତି ହିଁ ଦେଶର,ପ୍ରମୁଖ ଧନ ସମ୍ପତ୍ତି
ଦେଶର ପ୍ରଗତି ପଥେ, ଅଫୁରନ୍ତ ଦୃଢ଼ ଶକ୍ତି
ସଠିକ୍ ପରିଚାଳନା,ଅବା ଉପଯୋଗ ଧାରେ
ଯୁବ ସମ୍ପଦ ବୈଭବ,ଦେଶ ପ୍ରଗତି ପଥରେ
ନାର୍ଯ୍ୟ ଦାବି ଆଢ଼ୁଆଳେ , ପ୍ରାୟ ହୀନ ରାଜନୀତି
ଯୁବ ଆତ୍ମାହୁତି ର, ଦୃଶ୍ୟ ଚର୍ଚ୍ଚାରେ ସମ୍ପ୍ରତି
ଚଳନ୍ତି ଏ ସମାଜର, ସ୍ଥିତି ଦୁର୍ଗତି ପଥରେ
ସତେ କ'ଣ ଯୁବ ଶକ୍ତି, ଆପେ ଶୟନ ମୁଦ୍ରାରେ !!
ସୁପ୍ତ କି ସେ' ଯୁବ ଶକ୍ତି !!! ପ୍ରଶ୍ନ ଉଠିଛି ମନରେ
ଯେହେତୁ ଅରାଜକତା,ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ
ସମାଜର ସ୍ଥିତି ଯାହା, ପ୍ରଶ୍ନ ପ୍ରାୟ ସ୍ବାଭାବିକ
କଳୁଷିତ ଯୁବ ବର୍ଗ,ମନରେ ନାହିଁ ଭ୍ରୁକ୍ଷେପ
ଯୁବ ଗୋଷ୍ଠୀ ପକ୍ଷେ ସଦା,ନିଜ ଶକ୍ତି ସମ୍ପର୍କରେ
ସଚେତନତା ଜରୁରୀ,ନିଜ ଚିନ୍ତା ଚେତନାରେ
ଅନ୍ତର୍ନିହିତ ଶକ୍ତିକୁ ଆକାର ଦେବା ବିଧେୟ
ବିଜ୍ଞତା ଓ ଦୂରଦୃଷ୍ଟି ,ସାଥେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ହେ, ଯୁବ ସମାଜ,ମୁକ୍ତି ପରେ ଏ ଭାରତ ମାତା
ଚାହିଁଥିଲା ରାମ ରାଜ୍ୟ, ସୁଦକ୍ଷ ଶାସନ କର୍ତ୍ତା
ଭାଷଣ ଓ ପ୍ରତିଶ୍ରୁତି ,ଧାରେ କ୍ଷମତା ହାସଲ
ବିକାଶ ଯୋଜନା ଧାରେ,ପୁଣି ହେଲେ ମାଲା-ମାଲ୍
ଗରିବ ଶବ୍ଦ ର ନାମ, ବିକାଶ ସହିତ ଯୋଡି
ବାଟମାରଣା ହେଉଛି ,ସେହି ଯୋଜନା ର ପେଢି
ଲାଭ ବେଶି ସାଥେ ଖୁସି,ଖୁସିରେ ବିତେ ଜୀବନ
ଅନ୍ୟ ମାନେ ଚାହିଁଛନ୍ତି ,ଆସିବ କି ଆଚ୍ଛା ଦିନ!!
ମହାତ୍ମା ବିବେକାନନ୍ଦ, ଜନ୍ମି ଥିଲେ ଏ ମାଟିରେ
ଯୁବ ଗୋଷ୍ଠୀଙ୍କୁ ଆହ୍ଵାନ,ଥିଲା ତାଙ୍କ ଭାଷଣରେ
ରାଷ୍ଟ୍ରର ଆହ୍ଵାନ ତଥା, ରାଷ୍ଟ୍ର ନିର୍ମାଣ ପଥରେ
ଯୁବ ଗୋଷ୍ଠୀ ସହାୟକ,ଶକ୍ତି ଦେଶ ପ୍ରଗତିରେ
ଏ ଦେଶର ଭବିଷ୍ୟତ,ଯୁବ ଗୋଷ୍ଠୀଙ୍କ ହାତରେ
ଜାତୀୟ ଯୁବ ଦିବସ,ପାଳନ ତାଙ୍କ ନାମରେ
ଉଠ ହେ ଯୁବ ସମାଜ , ସୁପ୍ତ ରୁ ହୁଅ ଜାଗ୍ରତ
ଏ ଦେଶ ପ୍ରଗତି ପଥେ,ସଦା ହୁଅ କାର୍ଯ୍ୟରତ
ଆଜିର ଏ ଯୁବ ପିଢ଼ି, ପ୍ରାୟତଃ ଆତ୍ମ-ଦ୍ୱନ୍ଦରେ
ହଜି ଯାଇଛନ୍ତି ପୁଣି, ଭୌତିକତା ଚମକରେ
ନିଜସ୍ୱ ଚେତନା,ଇଚ୍ଛା, ଦାୟିତ୍ୱ, ଲୋଭ,ଲାଳସା
ଭୁଲି ନିଜର ମର୍ଯ୍ୟାଦା,ମରୀଚିକାରେ ଭରସା
ଧନ, ଖ୍ୟାତି ଓ ସମ୍ମାନ ,ପାଇବା ପାଇଁ ସହଜେ
ସୀମା ଲଙ୍ଘନ କରନ୍ତି, ଭୁଲି ନିଜକୁ ନିଜେ
ଯୌବନର ଦୁନିଆରେ, ଜଳାଇ ନିଜକୁ ନିଜେ
ନିଶା ସେବନ ପ୍ରାୟତଃ, ନିତିଦିନିଆ ସହଜେ
ଚାଷ ଜମି ଖୋଲା ଛାଡି,ସହର ମୁହାଁ କାହିଁକି
ପାଶ୍ଚାତ୍ୟ ସଭ୍ୟତା ଧାରେ, କାହିଁକି ଉଠ ଚିହିଁକି
ଦେଶ ମାତୃକା ସୁରକ୍ଷା,ଯୁବ ଶକ୍ତିର ହାତରେ
ଭୂଲି ନ ଯାଅ ସହଜେ,ନିଜ ସ୍ଵେଚ୍ଛାଚାରିତାରେ
ବିବେକାନନ୍ଦଙ୍କ ଆହ୍ବାନ,ସେହି ଯୁବ ଶକ୍ତି ପ୍ରତି
ଉଠ ଓ ଜାଗ୍ରତ ହୁଅ,ତୁମ ଶକ୍ତି ଅସରନ୍ତି
ଅବ୍ୟାହତ ରହି ଥାଉ,ତୁମ ଚଳନ୍ତି ପ୍ରୟାସ
ଲକ୍ଷ୍ୟ ସ୍ଥଳ ପହଞ୍ଚିବା,ହୃଦେ ରହୁ ସେ ବିଶ୍ବାସ
. . .