Image by Ralph from Pixabay
ବଳିଷ୍ଠ ବ୍ୟକ୍ତିତ୍ବ ସଦା,ମାନବିକତା ସମ୍ପନ୍ନ
ବ୍ୟକ୍ତି ,ଜାତି ଅବା ଦେଶ,ସଦା ଗାଏ ତାର ଗୁଣ
ଯା' ହୃଦେ ମାନବିକତା,ଅନୁମେୟ ସହଜରେ
ଜୀବନ ତା' ସତ୍ୟ ପଥେ,ଦୟା,କ୍ଷମା ସହିତରେ
ହିଂସା ଈର୍ଷା ଠୁ ଦୂରେଇ, ସ୍ବାର୍ଥ ଚିନ୍ତା ବିନା ହୃଦେ
ପରୋପକାର ସେବାରେ,ସହଜେ ବ୍ରତୀ ଆନନ୍ଦେ
ପ୍ରଗତିଶୀଳ ବ୍ୟକ୍ତି ବା, ଦେଶ, ରାଜ୍ୟ ଓ ସମାଜ
ମାନବିକ ମୂଲ୍ୟବୋଧ, ସର୍ବତ୍ର ଅପରିହାର୍ଯ୍ୟ
ନିଆରା ମୂଲ୍ୟବୋଧ ବି,ମାନବିକତା ସହଜେ
ଅନୁପ୍ରାଣିତ ବ୍ୟକ୍ତି ହିଁ,ସମାଜର ହିତ ଖୋଜେ
ମାନବିକତା ବିହୁନେ, ଅରାଜକତା ଅଚିରେ
ଶାନ୍ତି ମୈତ୍ରୀ ବି ସମ୍ଭବ,ମାନବିକତା ବଳରେ
ପ୍ରତ୍ୟେକ ବ୍ୟକ୍ତି ହୃଦରେ,ରହିଛି ମାନବିକତା
ଅନୁଭବୀ କହେ ତାହା,ହୃଦୟର ଆବେଗତା
ଅନ୍ୟର ଦୁଃଖ ବେଳରେ,ହସି ଉଠେ ଯେଉଁ ଜନ
ନାହିଁ ତା' ମାନବିକତା ,ପ୍ରତ୍ୟକ୍ଷ ରୂପେ ପ୍ରମାଣ
ସୃଷ୍ଟି ଅୟମାରମ୍ଭରେ, ଧର୍ମ ଅବା ଜାତି ବିନା
ଥିଲା ମଣିଷ ହୃଦରେ,ମାନବିକତା ଭାବନା
ବିଦ୍ୱେଷ ଭାବନା ଅବା ଛନ୍ଦ, କପଟ ଓ,ମିଥ୍ୟା
ପ୍ରାୟତଃ ଥିଲା ବିରଳ,ଥିଲା ସହନଶୀଳତା
ଜୀବନଯାପନ ଧାରା, ଥିଲା ସରଳ ପ୍ରାୟତଃ
ପରଷ୍ପର ପ୍ରତି ହୃଦେ, ସମ୍ପର୍କ ଥିଲା ସ୍ଥାୟୀତ୍ବ
ସହଭାଗିତା ବି ଥିଲା,ଅନ୍ୟର ସୁଖ ଦୁଃଖରେ
ଯଥା ସାଧ୍ୟ ସାହାଯ୍ୟ ବି,ଥିଲା ବିପଦ ବେଳରେ
ଦୁର୍ବଳ ମାନସିକତା,କ୍ରମେ ମଣିଷ ମନରେ
ଭିନ୍ନ ରୂପେ ଭେଦ ଭାବ,ସୃଷ୍ଟି ହେଲା ସମାଜରେ
ଭିନ୍ନ ଭିନ୍ନ ମତ ବାଦ,କ୍ରମେ ସମାଜ ଭିତରେ
ଜୀବନ ଶୈଳୀକୁ ନେଇ, ବିଭାଜନ ବି ତହିଁରେ
ବ୍ରାହ୍ମଣ କ୍ଷତ୍ରିୟ ପୁଣି ବୈଶ୍ୟ ଶୁଦ୍ର ଚାରି ଜାତି
ବର୍ଣ୍ଣ ବୈଷମ୍ୟ ସମସ୍ୟା,କ୍ରମେ ଉତ୍ପତ୍ତି ସମ୍ପ୍ରତି
ହୀନ ମାନସିକତାର ,ଭାବ ମଣିଷ ମନରେ
ଛୁଆଁ ଅଛୁଆଁ ର ଭେଦ,ଅନୁମେୟ ହେଲା ଧୀରେ
ସରଳ ରୁ ଆଧୁନିକ, ପୁଣି ଅତ୍ୟାଧୁନିକ ର
କ୍ରମଶଃ ମାନବିକତା,ଭିନ୍ନ ରୂପରେ ବିଚାର
ବିଷ ଭର୍ତ୍ତି ପାତ୍ର ମଧ୍ୟେ,ଅମୃତ କଣିକା ସମ
ମାନବିକତା ବିହୁନେ, ପ୍ରତି କ୍ଷେତ୍ରରେ ବିଷମ
ମୃତକ ମାନଙ୍କ ମଧ୍ୟେ,ଜୀବିତ ଖୋଜିବା ସମ
ମାନବିକତା ନାମରେ, ମାନବର ମତିଭ୍ରମ
ବଦାନ୍ୟତା ଆଢ଼ୁଆଳେ ,ଲାଳସା ଚରିତାର୍ଥ ର
ମନ୍ଦ ଅଭିପ୍ରାୟ ପୁଣି,ସହଜେ ବଳବତ୍ତର
ମଣିଷ ବି ଅସହାୟ,ଦୁଃଖଦ ପରିସ୍ଥିତିରେ
ରାସ୍ତା ଦୁର୍ଘଟଣା ଅବା ପ୍ରାକୃତିକ ବିପଦରେ
ଆଶ୍ରୟ-ଦାତା ଦେବତା,ଅନାଥ ଶିଶୁ ପକ୍ଷରେ
ବିତାଡିତ ବୃଦ୍ଧ ବୃଦ୍ଧା, ମୁଣ୍ଡ ଗୁଞ୍ଜିବା ଚିନ୍ତାରେ
ଟିକିଏ ସମବେଦନା,ଅବା ମିଠା କଥା ଧାରେ
ସହାୟକ ହୁଏ ଅନ୍ୟ, ଲୁହ ଧାର ପୋଛିବା ରେ
ଖୁସି ର ଲହରୀ ଉଠେ,ଦୁଃଖ ଭରା ହୃଦୟରେ
ତାହା ହିଁ ମାନବିକତା,ଅନ୍ୟର ଦୁଃଖ କଷ୍ଟରେ
ଦୁଷ୍କର୍ମ ରାଜ ରାସ୍ତାରେ,ଏହି କି ମାନବିକତା !!
ଅନ୍ୟ ଝିଅ ବୋହୂ ପ୍ରତି,କିମ୍ପାଇଁ ହୀନମନ୍ୟତା !!
ଭ୍ରୁଣ ହତ୍ୟା ଆଢ଼ୁଆଳେ ,ଗର୍ଭସ୍ଥ ଶିଶୁ କନ୍ୟାର
ଲୁଚି ଯାଏ କିମ୍ପା ହୃଦେ,ଭାବନା ମାନବିକତାର !!!
ବୃଦ୍ଧାଶ୍ରମ ହିଁ ଠିକଣା, ବୃଦ୍ଧ ପିତାମାତାଙ୍କର
ଏହି କି ମାନବିକତା,ଜନ୍ମ କଲା ସନ୍ତାନର !!
ମଣିଷ ପଣିଆ ବିନା,ମଣିଷ କି ଶ୍ରେଷ୍ଠ ଜୀବ !!
ନିଜ ସ୍ବାର୍ଥ ଚିନ୍ତା ସଦା,ଅନ୍ୟ ପ୍ରତି ହୀନ-ଭାବ
ମାନବିକତା ଦୃଷ୍ଟିରୁ,ପେଟ ପୂରିବା ଆଶାରେ
ହାତ ଯୋଡ଼ି ଭିକ ମାଗେ,ସହଜେ ରାଜ ରାସ୍ତାରେ
ଦୟନୀୟ ଅବସ୍ଥାରେ,ମାନବିକତା ହିଁ ସାହା
ଅତି ସରଳ ଭାଷାରେ,ମାନବିକତା ହିଁ ରାହା
ଜୀବନ ଦେବା କ୍ଷମତା,ଯଦି ନାହିଁ ବି କାହାରି
ନିରୀହ ଜୀବ ଜନ୍ତୁଙ୍କ,ହତ୍ୟା ହେଉଛି କିପରି !!!
ମାନବିକତା ଆଳରେ,ହୃଦେ ଥାଇ ମନ୍ଦ ଚିନ୍ତା
ବିଶ୍ବାସ ଜନ୍ମାଇ ପରେ, କିମ୍ପା ବିଶ୍ବାସଘାତତା !!
ମାନବ ସେବାର ବଳେ, ମାଧବ ସେବା ମାନ୍ୟତା,
ଦରିଦ୍ର ନାରାୟଣ ର,ସେବା ଅଟେ ଯଥାର୍ଥତା
ସ୍ବତଃ ପ୍ରବୃତ୍ତ ଭାବନା,ହୃଦୟର ଆବେଗତା
ହିତ ସାଧନେ ଅନ୍ୟର, ତାହା ହିଁ ମାନବିକତା
ସହଜାତ ପ୍ରକୃତିର,ପ୍ରତୀକ ମାନବିକତା
ସୁସ୍ଥ ସମାଜ ଗଠନେ,ଅବଶ୍ୟ ଆବଶ୍ୟକତା
ମାନବିକତା ର ସଜ୍ଞା,ଭାଷାରେ ହେବନି କହି
ପ୍ରତିଧ୍ୱନୀ କହେ ଧୀରେ,ମାନବୀୟ ଗୁଣ ଏହି