Image by kp yamu Jayanath from Pixabay
ବିଚିତ୍ର ସୃଷ୍ଟି ପ୍ରାୟତଃ,ସୃଷ୍ଟିକର୍ତ୍ତାଙ୍କର
ପାଳନ ଯୋଗ୍ୟ ନିୟମ,ସହଜେ ସୃଷ୍ଟିର
ସୂର୍ଯ୍ୟଙ୍କ ଉଦୟ ଅସ୍ତ,ଅବା ଋତୁ ଚକ୍ର
ନିୟମ ପରିଧି ମଧ୍ୟେ,ନିୟମ କତ୍ତୃକ
ନିୟମରେ ବନ୍ଧା ପୁଣି ,ଏ ଜୀବ ଜଗତ
ନିୟମରେ ଆତଯାତ, ସାମାଜିକ କ୍ଷେତ୍ର
ବ୍ୟକ୍ତି,ଅଧିକାରୀ ଅବା, ସଂସ୍ଥା,ଅନୁଷ୍ଠାନ
ନିୟମରେ ବନ୍ଧା ସର୍ବେ,ନିୟମ ଅଧିନ
ବିଦ୍ୟାର୍ଥୀ ହେଉ ବା ଗୁରୁ, ବନ୍ଧା ନିୟମରେ
ନିୟମ ବଳବତ୍ତର,ପ୍ରତ୍ୟେକ କ୍ଷେତ୍ରରେ
ଏ ମଣିଷ ଜାତି ଯେଣୁ ,ସାମାଜିକ ପ୍ରାଣୀ
ନୀତି ନିୟମ ଆଦର୍ଶ, ଘେରରେ ଚଳଣୀ
ପରମ୍ପରା ଆଧାରିତ, ସଂସ୍କାର ସଂସ୍କୃତି
ଜୀବନ ଚଲା ପଥରେ, ନିୟମ ସମ୍ପ୍ରତି
ଅନୁଶାସନ ର ଧାରା,ପ୍ରତ୍ୟେକ କ୍ଷେତ୍ରରେ
ପରିବାର ରୁ ଆରମ୍ଭ,କ୍ରମେ ସମାଜରେ
ଶାସନ କ୍ଷେତ୍ରରେ ପୁଣି,ଶାସକ ଆସନ
ନିୟମ ବଳୟ ମଧ୍ୟେ,ହୁଏ ନିୟନ୍ତ୍ରଣ
ଜୀବନ ଖେଳରେ ଅଛି, ଜିତା ଆଉ ହରା
ପ୍ରତି ଖେଳର ନିୟମ, ସହଜେ ନିଆରା
ନିୟମ ଭିତରେ ରହି,ଖେଳିବା ବିଧେୟ
ଅଭିଜ୍ଞତା ଆଧାରରେ,ବିଜୟ ନିଶ୍ଚୟ
ଜୀବନ ନିୟମ ପୁଣି,କୋଳାହଳ-ପୂର୍ଣ୍ଣ
ଖାପ ଖୁଆଇ ଚଳିବା,ଉତ୍ତମ ଲକ୍ଷଣ
ମିଛ ଲୋଭ ମାୟା ମୋହ,ଘେରରେ ଜୀବନ
ମୁକ୍ତି ପାଇଁ ଆବଶ୍ୟକ,ନିୟମ ପାଳନ
ଇନ୍ଦ୍ରିୟ ଦମନ ପଥେ,ନିୟମ କଠିନ
ମୋକ୍ଷ ସମ୍ଭାବନା ଯଦି ,ନିୟମ ପାଳନ
ନିୟମର କଠୋରତା,ସଦା ହିତକାରୀ
ନିୟମ ବିନା ଜୀବନ,ହିଂସ୍ର ପଶୁ ପରି
ଶୈଶବରୁ ବୃଦ୍ଧାବସ୍ଥା,ନିୟମ ଭିତରେ
ନିୟମ ବିନା ଜୀବନ, ସ୍ଵେଚ୍ଛାଚାରିତା ରେ
ନିୟମରେ ବନ୍ଧା ଏଇ,ଦୁର୍ଲ୍ଲଭ ଜୀବନ
ମୋକ୍ଷ ପ୍ରାପ୍ତି ପଥ ପୁଣି,ନିୟମ ଅଧିନ
ଜୀବନ ମାର୍ଜିତ ଅର୍ଥେ
ନିୟମ ବିଧାନ
ନିୟମ ଭିତରେ ରହୁ, ମଣିଷ ଜୀବନ