ଆଜି କାହିଁକି କେଜାଣି, ଘରର ପ୍ରତିଟି ବାତାୟନରେ, କାନ୍ଥରେ ଟଙ୍ଗା ହୋଇଥିବା ପୁରୁଣା ଆଇନାର କଳଙ୍କିତ ପୃଷ୍ଠରେ ଏବଂ ବାରଣ୍ଡାର ଶୂନ୍ୟତା ମଧ୍ୟରେ ବୁଢ଼ୀ ମା’ର ସ୍ୱର ପ୍ରତିଧ୍ୱନିତ ହେଉଛି। ମୋ କାନରେ ସତେ ଯେମିତି ସେହି ପୁରୁଣା ପେଣ୍ଡୁଲମ୍ ଘଣ୍ଟାର ‘ଟିକ୍ ଟିକ୍’ ଶବ୍ଦ ଆଜି ଅତୀତକୁ ବର୍ତ୍ତମାନ ସହ ଯୋଡ଼ି ଦେଉଛି, ଯେମିତି ସେହି ଯନ୍ତ୍ରଟି ମୋତେ ସମୟର ଅସ୍ତିତ୍ୱ ଏବଂ ଧୂସର ହୋଇଯାଇଥିବା ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଦେବାକୁ ଚେଷ୍ଟା କରୁଛି। ସେହି ଡେଙ୍ଗା, ପତଳା ଏବଂ ଇଷତ୍ କଳା ରଙ୍ଗର ଚେହେରାଟି ମୋ ଆଖି ଆଗରେ ନାଚି ଯାଉଛି। ବୁଢ଼ୀ ମା’ର ହାତରେ ସେହି ପୁରୁଣା କାଳର ଜୈବିକ ସ୍ୱାକ୍ଷର ଭଳି ‘ଚିତା କୁଟା’ ଚିହ୍ନ ଆଉ ମନରେ ସବୁବେଳେ କିଛି ନା କିଛି କାମ କରିବାର ସେହି ଅଦମ୍ୟ ନିଶା।
ମୁଁ ତାକୁ କେବେ ସ୍ଥିର ହୋଇ ବସିବାର ଦେଖିନି। ବାଡ଼ି ପଟେ ଘାସ ବାଛିବା ହେଉ କିମ୍ବା ଗାଈମାନଙ୍କ ପାଇଁ କୁଣ୍ଡା ତୋରାଣିର ବ୍ୟବସ୍ଥା କରିବା ତାଙ୍କ ପାଇଁ ଶ୍ରମ ହିଁ ଥିଲା ଜୀବନର ପରିଭାଷା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରଣୀକୁ ସ୍ପର୍ଶ କରିବା ପୂର୍ବରୁ ସେ କୁକୁଡ଼ାମାନଙ୍କ ପଛରେ ଗୋଡ଼ାଇ ସେମାନଙ୍କୁ ଖୁଆଡ଼କୁ ସଜାଡ଼ି ଆଣିବାରେ ଯେଉଁ ତତ୍ପରତା ଦେଖାଉଥିଲେ, ତାହା ଦେଖିଲେ ମନେହୁଏ ସତେ ଯେମିତି ସକାଳର ସେହି ଶାନ୍ତ ପରିବେଶ ସହ ତାଙ୍କ ଶରୀରର ଜୈବିକ ତାଳମେଳ ପୂରାପୂରି ମିଶିଯାଇଛି। ସେ ଯେମିତି ଏକ ନିରବ କର୍ମଯୋଗୀ, ଯାହାଙ୍କ ପାଇଁ ସେହି ମୂକ ପକ୍ଷୀମାନଙ୍କର ସେବା ହିଁ ଥିଲା ଜୀବନର ପ୍ରଥମ ଅନୁଶାସନ। ବୁଢ଼ୀ ମା ମୋ ପାଇଁ କେବଳ ଜଣେ ରକ୍ତ ସମ୍ପର୍କୀୟ ନଥିଲେ, ସେ ଥିଲେ ଏକ ଚଳନ୍ତି ଇତିହାସ, ଯିଏ ଶବ୍ଦ ଅପେକ୍ଷା କର୍ମରେ ହିଁ ନିଜର ଅସ୍ତିତ୍ୱକୁ ଅଧିକ ପ୍ରକାଶ କରୁଥିଲେ।
ଅତୀତର ସେହି ଦିନଗୁଡ଼ିକ ଆଜି ବି ମୋ ସ୍ମୃତିର ଆଲବମ୍ରେ ଏକ ସୁନ୍ଦର ଚିତ୍ରପଟ ପରି ସଜେଇ ହୋଇ ରହିଛି। ଆମର ସେହି ପୁରୁଣା ଚାଳ ଛପର ଘର, ଯାହାର ପରିବେଶରେ ଥିଲା ଏକ ଆତ୍ମୀୟତାର ସ୍ପର୍ଶ। ଘର ପାଖ ପୋଖରୀର ନୀଳ ଜଳରେ ନାନା ଜାତିର ମାଛଙ୍କ କ୍ରୀଡ଼ା ଆମକୁ ବିଭୋର କରୁଥିଲା। ବାପା ଯେବେ ଚାକିରିରୁ ଛୁଟି ନେଇ ଘରକୁ ଫେରନ୍ତି, ଆମ ପାଇଁ ସେଇଟା ଏକ ଉତ୍ସବ ପାଲଟିଯାଏ, ପୋଖରୀରୁ ତାଜା ମାଛ ଧରି ଖାଇବାର ସେହି ନିଆରା ସ୍ୱାଦ ଆଜି ବି ଜିଭରେ ଲାଗି ରହିଛି। ପୋଖରୀ କୂଳର ସେହି ଆମ୍ବ ବଉଳର ମହକ ଆଉ ଘର ପଛପଟ ବାଡ଼ିରେ ହୋଇଥିବା ପନିପରିବା ଚାଷର ସେହି ଶ୍ୟାମଳ ଶୋଭା ସତେ ଯେମିତି କୋଇଲିର କୁହୁ ତାନରେ ଗ୍ରୀଷ୍ମର ପ୍ରଚଣ୍ଡ ଦାହକୁ ଶୀତଳ କରିଦିଅନ୍ତି। ଘର ଦାଣ୍ଡରେ ଥିବା ବରକୋଳି ଗଛଟି ଥିଲା ଅନେକ ପଥିକ ଓ ସ୍କୁଲ କଲେଜ ପିଲାଙ୍କ ପାଇଁ ଶାନ୍ତିର ଆଶ୍ରୟ। ସକାଳୁ ସକାଳୁ ସେହି ଗଛ ମୂଳରେ କୋଳି ଗୋଟାଇବା ପାଇଁ ପିଲାଙ୍କର ଯେଉଁ ଭିଡ଼ ଜମେ, ତାହା ଦେଖିବା ଭଳି। ଆମ ବାଡ଼ିର ରଙ୍ଗବେରଙ୍ଗର ଫୁଲ ଗଛ ଗୁଡ଼ିକ ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲେ। ମାମୁଁଘର ପାଖରେ ଆମ ଘର ହୋଇଥିବାରୁ ଅଞ୍ଚଳର ପ୍ରାୟ ସବୁ ଲୋକଙ୍କ ସହ ଆମର ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା।
ମୋ ବୋଉ ଥିଲେ ସଂଘର୍ଷର ଅନ୍ୟ ଏକ ନାମ। ମାମୁଁଘର ପାଖ ସ୍କୁଲରେ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସକାଳୁ ଉଠି ଆମ ତିନି ଭାଇଭଉଣୀଙ୍କ ଯତ୍ନ ନେବା, ରୋଷେଇ ସାରିବା ଏବଂ ବୁଢ଼ୀ ମା’ଙ୍କୁ ସମୟ ଅନୁସାରେ ଖାଇବାକୁ ଦେଇ ସେ ପ୍ରାୟ ୨ ରୁ ୩ କିଲୋମିଟର ଚାଲି ଚାଲି ସ୍କୁଲକୁ ଯାଆନ୍ତି। ମୋ ଆଖିରେ ବୋଉ ଥିଲେ ଏକ 'ଚଳନ୍ତି ଯନ୍ତ୍ର' ସଦୃଶ, ଯିଏ ବିଶ୍ରାମ କ’ଣ ଜାଣି ନଥିଲେ। ପୁଣି ସନ୍ଧ୍ୟା ଚାରିଟାରେ ଫେରି ଘରର ସମସ୍ତ କାମ ସାରି ଆମ ପାଠପଢ଼ା ପାଇଁ ସମୟ ଦିଅନ୍ତି। ଅନ୍ୟପଟେ ବୁଢ଼ୀ ମା ଥିଲେ ଘରର ଅତନ୍ଦ୍ର ପ୍ରହରୀ। ତାଙ୍କର ସେହି ତୀକ୍ଷ୍ଣ ନଜରରୁ କିଛି ବି ବର୍ତ୍ତି ପାରୁନଥିଲା। କେଉଁ ଗାଈଟି ପଶି ଆସିଲା କିମ୍ବା କେଉଁ ଅଜଣା ଲୋକଟିଏ ଘର ପାଖ ଦେଇ ଗଲା, ସେ ସବୁ କିଛି ନିମିଷକେ ଜାଣି ପାରୁଥିଲେ। ତାଙ୍କର ଶ୍ରବଣ ଶକ୍ତି ଏତେ ପ୍ରଖର ଥିଲା ଯେ ମନ ସବୁବେଳେ ଏକ ଅସ୍ଥିରତା ମଧ୍ୟରେ ଘୂରି ବୁଲୁଥାଏ କାଳେ କିଏ କ’ଣ ନେଇଗଲା କି କିଏ କ’ଣ ଖାଇଦେଲା! ସେ ନିଜେ ସକାଳୁ ଗଣ୍ଡେ ଖାଇ ସାରିବା ପରେ ବାଡ଼ିରେ ଘାସ ବାଛିବାରେ ମଜ୍ଜି ରହୁଥିଲେ।
ମୁଁ ଯେତେବେଳେ ସ୍କୁଲ ଯିବା ବୟସର ହୋଇନଥିଲି, ମୋର ସାରା ଦିନ ବୁଢ଼ୀ ମାଙ୍କ ସହ କଟୁଥିଲା। ତାଙ୍କ ସହ ଗାଈ ବାନ୍ଧିବାକୁ ଯିବା କିମ୍ବା କୁକୁଡ଼ାମାନଙ୍କ ପଛରେ ଗୋଡ଼ାଇ ସେମାନଙ୍କୁ ଧରି ଆଣିବାରେ ମୋତେ ଏକ ଅଜବ ଆନନ୍ଦ ମିଳୁଥିଲା। ଆମ ଅଞ୍ଚଳ ଭଦ୍ରକ ହୋଇଥିବାରୁ ବୁଢ଼ୀ ମାଙ୍କ କଥା କହିବାରେ ବାଲେଶ୍ୱରୀ ଭାଷାର ଏକ ନିଆରା ସ୍ପର୍ଶ ଥିଲା। ମୁଁ ବି ଧୀରେ ଧୀରେ ତାଙ୍କ ଭାଷା ଶୈଳୀ ଶିଖି ଯାଇଥିଲି "ରସ୍ତା ଉପରକୁ ଯଅ" "କୁଳି ଖଅ", "ଗୋଡ଼କୁ ଗୁଡ଼", "ପେଷ୍ଟ କୁ ଚେଷ୍ଟ" ପରି ଶବ୍ଦ ଗୁଡ଼ିକ ମୋ କଣ୍ଠରେ ସ୍ୱାଭାବିକ ହୋଇଯାଇଥିଲା। ମୋ ବଡ଼ଭାଇ ମୋଠାରୁ ଛଅ ବର୍ଷ ବଡ଼, ସେ ସବୁବେଳେ ମାମୁଁଘର ପିଲାଙ୍କ ସହ ବାହାରେ ବୁଲାବୁଲି କରୁଥିଲେ। କିନ୍ତୁ ମୁଁ ସ୍ୱଭାବତଃ ଟିକେ ଲାଜକୁଳା ଓ ଅନ୍ତର୍ମୁଖୀ ହୋଇଥିବାରୁ ବାହାରକୁ ନଯାଇ ସବୁବେଳେ ବୁଢ଼ୀ ମାଙ୍କ ପଣତ କାନି ଧରି ରହୁଥିଲି। ମୋ ଭଉଣୀ, ଯିଏ ମୋଠାରୁ ଚାରି ବର୍ଷର ବଡ଼, ଆମେ ଦୁହେଁ ମିଶି ବେଳେବେଳେ ବାଲିଘର ଖେଳିବାରେ ସମୟ ବିତାଉଥିଲୁ। ସେହି ଅଭୁଲା ଦିନଗୁଡ଼ିକର ସ୍ମୃତି ଆଜି ବି ମୋତେ ଏକ ଅକୁହା ଭାବପ୍ରବଣତାରେ ଭିଜାଇ ଦିଏ।
ସେଦିନର ସେହି ଦୃଶ୍ୟ ମୋ ସ୍ମୃତିର ପୃଷ୍ଠାରେ ଆଜି ବି ରକ୍ତବର୍ଣ୍ଣ ହୋଇ ରହିଛି। ବୁଢ଼ୀ ମା ନିଜ ଶୋଇବା ଘର ଭିତରୁ ରାଗରେ ତମତମ ହୋଇ ଗର୍ଜୁଥାଏ। ତା’ର ସେହି କ୍ରୋଧାନ୍ୱିତ ସ୍ୱର ଆଉ ଅଭିମାନରେ ଖାଇବା ପିଇବା ତ୍ୟାଗ କରିବାର ନିତିଦିନିଆ ନାଟକ ସହ ମୁଁ ପରିଚିତ ଥିଲେ ହେଁ, ସେଦିନର ଉଗ୍ରତା କିଛି ଭିନ୍ନ ଥିଲା। ସ୍କୁଲରୁ ଫେରିବା ମାତ୍ରେ ଘରର ଭାରୀ ପରିବେଶ ଦେଖି ମୋ ମନରେ ଏକ ଅଜ୍ଞାତ ଆଶଙ୍କା ଓ ଜାଣିବାର ତୀବ୍ର ଆକାଂକ୍ଷା ସୃଷ୍ଟି ହେଲା। ମୋର ସବୁଠୁ ପ୍ରିୟ ସାଙ୍ଗ ଅର୍ଥାତ୍ ମୋ ଭଉଣୀ ପାଖରୁ ଶୁଣିବାକୁ ପାଇଲି ଯେ, ଆଜି ଆମ ଘରକୁ ଆଶା ମାଉସୀ ଆସିଛନ୍ତି।
ମୋର ତିନିଜଣ ମାଉସୀ ଦୀପ୍ତି, ତୃପ୍ତି ଓ ଆଶା। ସମସ୍ତେ ବହୁତ ଦୂରରେ ରହନ୍ତି। ଗ୍ରୀଷ୍ମ ଛୁଟି ହୋଇଥିବାରୁ ତୃପ୍ତି ମାଉସୀ ନିଜର ଦୁଇ ପୁଅଙ୍କୁ ଧରି ଆମ ଘରକୁ ବୁଲି ଆସିଥିଲେ। ସାଧାରଣତଃ ତୃପ୍ତି ମାଉସୀ ଆସିଲେ ମୋ ପାଇଁ 'ମ୍ୟାଙ୍ଗୋ ମୁଡ୍' ଆଉ 'ପାନ୍ ପସନ୍ଦ୍' ଚକୋଲେଟ୍ ନିଶ୍ଚୟ ଆଣନ୍ତି। ସେହି ଚକୋଲେଟ୍ ଲୋଭରେ ମୋ ମନ ଖୁସିରେ ଆତ୍ମହରା ହୋଇଯାଉଥିବା ବେଳେ, ଶୋଇବା ଘର ଭିତର ଦୃଶ୍ୟ ମୋତେ ସ୍ଥାଣୁ କରିଦେଲା। ଦେଖିଲି ବୋଉ ନିରବରେ କାନ୍ଦୁଛି।
କିଛି ନବୁଝି ବି ମୁଁ ସବୁ ବୁଝିଗଲି। ବୁଢ଼ୀ ମାର ଏହି କ୍ରୋଧ ଆଉ ବୋଉର ଏହି ଅଶ୍ରୁ ପଛରେ ଥିବା ଅଭିପ୍ରାୟ ମୋତେ ସ୍ପଷ୍ଟ ହୋଇଗଲା। ବୁଢ଼ୀ ମା’ ଘରକୁ କେହି ଅତିଥି ଆସିଲେ କିମ୍ବା କିଛି ଦିନ ରହିଲେ ଆଦୌ ସହିପାରେନି। ସେ ସିଧାସଳଖ କିଛି କୁହେନି ସତ, କିନ୍ତୁ କଟୁ କଥାରେ ବୋଉର ହୃଦୟକୁ ବିଦୀର୍ଣ୍ଣ କରିଦିଏ। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁଦିନ ସେହି ଅତିଥିମାନେ ଘରୁ ବିଦାୟ ନିଅନ୍ତି, ବୁଢ଼ୀ ମା ନିଜେ ଆସି ସମସ୍ତଙ୍କ ସହ ମିଶି ଖାଇନିଏ। ସେତେବେଳେ ତା ମୁହଁରେ ଏକ ଅଦ୍ଭୁତ ପ୍ରସନ୍ନତା ଖେଳିଯାଏ। ତା’ର ଏହି ଦ୍ୱନ୍ଦ୍ୱାତ୍ମକ ପ୍ରକୃତିକୁ ଦେଖି ମୁଁ ସ୍ଥିର କରିପାରେନି ସେ ସତରେ ଭଲ ନା ଖରାପ? ତା’ର ଏହି ଆଚରଣ ଜୀବନର କେଉଁ ଅକୁହା ଅଭାବର ପ୍ରତିଫଳନ, ତାହା ମୋ ପରିଧିର ବାହାରେ ଥିଲା।
ସେଦିନ ବୋଉର ସେହି ଅବାରିତ କ୍ରନ୍ଦନ ଦେଖି ବାପା ନିଜର ଟେଲିଭିଜନ ଦେଖା ବନ୍ଦ କରି ପାଖକୁ ଆସିଲେ। ବାପା କଟକ ସହରରେ ଅଡିଟ ଅଫିସର ଭାବେ କାର୍ଯ୍ୟରତ, ସପ୍ତାହକୁ ମାତ୍ର ଦୁଇଦିନ ଶନିବାର ଓ ରବିବାର ପାଇଁ ସେ ଗାଁକୁ ଆସନ୍ତି। ପୁଣି ସେହି ସୋମବାର ପ୍ରତ୍ୟୁଷରୁ ସେ କର୍ମକ୍ଷେତ୍ର ଅଭିମୁଖେ ଯାତ୍ରା କରନ୍ତି। ବାପା ଘରକୁ ଆସିଲେ ମନ ଭିତରେ ଯେତିକି ଆନନ୍ଦ ଓ ଉଲ୍ଲାସ ଥାଏ ଭଲ ଖାଇବା ଓ ସୁଆଦିଆ ବ୍ୟଞ୍ଜନର ଆଶାରେ, ଠିକ୍ ସେତିକି ଭୟ ବି ଥାଏ ପାଠପଢ଼ା ପାଇଁ ଗାଳି ଆଉ ମାଡ଼ର ଆଶଙ୍କାରେ। ବାପା ଧୀରେ କରି ବୋଉକୁ ବୁଝାଇ କହନ୍ତି, "ଛାଡ଼, ସେ ବୁଢ଼ୀ ମଣିଷଟା ସେମିତିକା, ସେ କ’ଣ ବୁଝୁଛି କି? ତା’ କଥାକୁ ଏତେ ଗୁରୁତ୍ୱ ଦିଅନି।
ମୋ ମନ ଭିତରେ କିନ୍ତୁ ପ୍ରଶ୍ନର ଏକ ବିରାଟ ଜାଲ ଛନ୍ଦି ହୋଇଯାଏ। ମୁଁ ଭାବେ, ସତରେ କ’ଣ ବୁଢ଼ୀ ମା’ ଏତେ ଖରାପ? ଯଦି ସେ ଏତେ ନିଷ୍ଠୁର, ତେବେ ମୁଁ ଯେତେବେଳେ ସ୍କୁଲରୁ ଆସି ତାକୁ ଏତେ ହଇରାଣ କରେ, ତା’ ସହ ଖେଳେ, ସେତେବେଳେ ସେ କାହିଁକି କିଛି କହେନି? ମୋର ସବୁ ଅଳି ଅର୍ଦ୍ଦଳି ସେ କେମିତି ସହିଯାଏ? ସେହି ମୁହୂର୍ତ୍ତରେ ବୁଢ଼ୀ ମା’ର ଚରିତ୍ର ମୋ ପାଇଁ ଏକ ଦୁର୍ବୋଧ୍ୟ ରହସ୍ୟ ପାଲଟିଯାଏ, ଯାହାକୁ ମୋର ସେହି କଅଁଳ ମନ ବୁଝିବାକୁ ଚେଷ୍ଟା କରି ବି ବାରମ୍ବାର ବିଫଳ ହେଉଥାଏ।
ମୋ ଭଉଣୀ ତା’ର ସେହି ଅବୁଝା କୈଶୋର ମନରେ ବୋଉ ଙ୍କ କଷ୍ଟ ଦେଖି ସହିପାରେନି। ସେ ବେଳେବେଳେ ବୁଢ଼ୀ ମା’କୁ ପଦେ ଦିପଦ ଶୁଣାଇଦିଏ ,ତୁ କାହିଁକି ଏମିତି ହେଉଛୁ ଲୋ? ଟିକେ ଶାନ୍ତିରେ ଖାଇପି ଶୋଉନୁ, ସବୁବେଳେ କାହିଁକି ଏମିତି ପାଟିତୁଣ୍ଡ କରି ଘର ମୁଣ୍ଡେଇଛୁ? ଭାଇ ବି ସମୟ ସମୟରେ ବୁଢ଼ୀ ମାର ଏହି ଅଯଥା ଜିଦ୍ ଉପରେ ବିରକ୍ତି ପ୍ରକାଶ କରେ। କିନ୍ତୁ ବୁଢ଼ୀ ମାର ଏକ ଅତି ପୁରୁଣା ଆଉ ଅଦ୍ଭୁତ ସଉକ ଥିଲା ସେ ସବୁବେଳେ ଖୁଚୁରା ପଇସା ସାଇତି ରଖେ। ତା ଅଣ୍ଟିରେ ସବୁବେଳେ ଟଙ୍କାଟିଏ କିମ୍ବା ଦୁଇଟଙ୍କାର ମୁଦ୍ରା ଖୋସା ହୋଇଥାଏ। ଗୋଟିଏ କଳା ଜରି ଭିତରେ ସେ ଜମା କରି ରଖିଥାଏ ଅନେକ ଖୁଚୁରା ପଇସାର ଏକ କ୍ଷୁଦ୍ର ସାମ୍ରାଜ୍ୟ।
ଅନେକ ଥର ମୁଁ ଭାଇ ଓ ଭଉଣୀଙ୍କୁ ସେହି ପଇସା ରଖିବା ଜାଗା ଦେଖାଇ ଦିଏ। ଆମେ ସେଥିରୁ କିଛି ପଇସା ସୁଯୋଗ ଦେଖି ନେଉ ଆଉ ଆନନ୍ଦରେ ଆଇସକ୍ରିମ୍ କିମ୍ବା ଚାଟ୍ କିଣି ଖାଇଦେଉ। ବୁଢ଼ୀ ମା’ ପୁରୁଣା କାଳର ଅଶିକ୍ଷିତ ମହିଳା ହେଲେ ବି, ହାତ ମାରି ପଇସା ଚିହ୍ନିବାର କଳା ତାକୁ ବେଶ୍ ଭଲ ଭାବେ ଜଣା। ଏକ ଟଙ୍କିଆର ଗୋଲାକାର ଆକୃତି କିମ୍ବା ପୁରୁଣା କୋଡ଼ିଏ ପଇସିଆର ସେହି ନିଆରା ରୂପକୁ ସେ ସ୍ପର୍ଶ ମାତ୍ରକେ ଜାଣିପାରେ। ଯେବେ ସେ ଜାଣେ ଯେ ତା’ର ପଇସା କମିଯାଇଛି, ସେ ସମ୍ଭାଳି ପାରେନି। ରାଗରେ ତମତମ ହୋଇ ସବୁ ପଇସାକୁ ବାହାରେ ଫୋପାଡ଼ି ଦିଏ ଏବଂ କୋହଭରା କଣ୍ଠରେ କହେ ମୁଁ ଆଉ ଏ ଘରେ ରହିବିନି କି ଖାଇବିନି, ମୋ ପଇସା ସବୁ ନେଇଗଲ I
ତା’ର ଏହି ଅଭିମାନ ଭରା କଥା ଶୁଣିଲେ ମନରେ କିଛି ସମୟ ପାଇଁ ଏକ ଅଜ୍ଞାତ ବ୍ୟଥା ଅନୁଭବ ହୁଏ, କିନ୍ତୁ ପିଲାଦିନର ସେହି ଚପଳତା ଆଗରେ ସେ ସବୁ ବେଶି ସମୟ ରହେନି। ଖେଳିବା ସମୟ ହେଲେ ମୁଁ ସବୁକିଛି ଭୁଲିଯାଏ। ତଥାପି ମନରେ ପ୍ରଶ୍ନ ଉଠେ ବୁଢ଼ୀ ମା ଏ ପଇସା କାହିଁକି ସାଇତି ରଖୁଛି? ସେ ତ ନିଜ ପାଇଁ କେବେ କିଛି କିଣେନି କି ଆମକୁ କେବେ ଦିଏନି । ମୁଁ ବେଳେବେଳେ ତାକୁ ପରିହାସ କରି କହେ ଲୋ ବୁଢ଼ୀ ମା, ଏ ପଇସା କଣ ମଲା ପରେ ଗାତକୁ ନେଇଯିବୁ କି? ସେତେବେଳେ ସେ ରକ୍ତବର୍ଣ୍ଣ ମୁହଁରେ ଆହୁରି ଜୋରରେ ଗର୍ଜି ଉଠି କହେ ,ତୋ ଗୁସାପ ଆସୁ, ତୋ କଥା ବୁଝିବ ରହିଥା । ତାର ସେହି ରାଗ ଭିତରେ ବି ଏକ ଅକୁହା ଅଭିମାନ ଲୁଚି ରହିଥାଏ, ଯାହାକୁ ବୁଝିବା ପାଇଁ ହୁଏତ ସେତେବେଳେ ମୋର ବୟସ ଓ ବୁଦ୍ଧି ଅଣ୍ଟି ନଥିଲା।
ମଝିରେ ମଝିରେ ମୋ ଆଈ ମା ଆମ ଘରକୁ ବୁଲି ଆସନ୍ତି। ସେ ଆସିଲେ ମୋ ମନ ଖୁସିରେ କୁରୁଳି ଉଠେ, କାରଣ ବୁଢ଼ୀ ମା ଭଳି ସେ ଗମ୍ଭୀର ନୁହନ୍ତି ବରଂ ତାଙ୍କ ପାଖରେ ଗପର ଏକ ଅଫୁରନ୍ତ ପେଡ଼ି ଥାଏ। କିନ୍ତୁ ଆଈ ମାଙ୍କ ପାଦ ଆମ ଘରେ ପଡ଼ିବା ମାତ୍ରେ ବୁଢ଼ୀ ମାଙ୍କ ମୁହଁରେ କଳାହାଣ୍ଡିର ମେଘ ଘୋଟି ଆସେ। ସେହି ସଫା ପରିଷ୍କାର ମୁହଁଟି ହଠାତ୍ ବିଷାଦଗ୍ରସ୍ତ ହୋଇଯାଏ। ଏକ ଅଜଣା ଆଶଙ୍କା ଓ ପ୍ରତିଯୋଗିତାର ଭାବ ତାଙ୍କୁ ସତେ ଯେମିତି କବଳିତ କରି ରଖେ।
ଘରର ପରିସ୍ଥିତି ଆହୁରି ବିଚିତ୍ର ହୁଏ ଯେତେବେଳେ କୌଣସି ଉତ୍ସବ ବା ଆୟୋଜନ ଥାଏ। ମା ରଖିଥିବା ବାର ବର୍ଷିଆ କୀର୍ତ୍ତନର ମାନସିକ ପୂରଣ ହେବା ଦିନ ପ୍ରତି ବର୍ଷ ଯେବେ ପ୍ରସାଦ ସେବନର ବ୍ୟବସ୍ଥା ହୁଏ, ଠିକ୍ ସେଇଦିନ ବୁଢ଼ୀ ମା’ଙ୍କ ଦେହ ଅସୁସ୍ଥ ହୋଇପଡ଼େ। କାଳେ ଅଧିକ ଖର୍ଚ୍ଚ ହୋଇଯିବ କିମ୍ବା କାଳେ ଘରର ବ୍ୟବସ୍ଥା ବିଗିଡ଼ିଯିବ ଏହି ଚିନ୍ତାରେ ସେ ଏତେ ବ୍ୟତିବ୍ୟସ୍ତ ହୁଅନ୍ତି ଯେ ଶେଷରେ ତାଙ୍କୁ ଇଞ୍ଜେକ୍ସନ କିମ୍ବା ସାଲାଇନ୍ ଦେବାକୁ ପଡ଼େ। ତାଙ୍କର ଏହି ଅସ୍ୱାଭାବିକ ଗୁଣ ପାଇଁ ଭାଇ ଓ ଭଉଣୀ ତାଙ୍କ ଉପରେ ଚିଡ଼ନ୍ତି। ବାପା ବି କେତେବେଳେ କେମିତି ଶୁଣାଇ ଦିଅନ୍ତି "ନିଜ ଦେହକୁ ଟିକେ ଜଗୁନୁ, କାହିଁକି ଏତେ ଚିନ୍ତା କରୁଛୁ? ପଇସା ତ ମୁଁ ଖର୍ଚ୍ଚ କରୁଛି, ତୁ କାହିଁକି ଏତେ ମନ କଷ୍ଟ କରୁଛୁ?
ବୋଉ ବି ବୁଝାନ୍ତି, ତୁମର ବୟସ ହେଲାଣି ଖାଇପି ଆରାମରେ ନାତି ନାତୁଣୀଙ୍କ ସହ ରୁହ, କିଏ ଆସିଲା କି କେତେ ଖର୍ଚ୍ଚ ହେଲା, ସେଥିରେ ତୁମର କଣ ଯାଏ ଆସେ? ବୋଉ ବୁଢ଼ୀ ମାଙ୍କୁ ଅତ୍ୟଧିକ ଆଦର ଓ ସେବା କରନ୍ତି, କିନ୍ତୁ ବୁଢ଼ୀ ମା ଙ୍କର ସେହି ଏକା ଜିଦ୍ ସେ କାହା ଉପରେ ନିର୍ଭର କରିବେ ନାହିଁ। ନବେ ବର୍ଷ ବୟସରେ ବି ନିଜର ଚୁଟି କୁଣ୍ଡାଇବା ଠାରୁ ଆରମ୍ଭ କରି ଗାଧୋଇବା ଓ ଦାନ୍ତ ଘଷିବା ପର୍ଯ୍ୟନ୍ତ ସବୁ କାମ ସେ ନିଜେ କରନ୍ତି। ଏବେ ବି ବେଳେବେଳେ ସେ ଖଟରୁ ଉଠି ଚାହୁଁଣି ଧରି ଘରର କୌଣସି ଏକ କୋଣକୁ ସଫା କରିବାରେ ଲାଗିପଡ଼ନ୍ତି। ଆଖିର ଦୃଷ୍ଟିଶକ୍ତି କମି ଯାଇଥାଇପାରେ, କିନ୍ତୁ ଶରୀରର ସେହି ଶେଷ ରକ୍ତବିନ୍ଦୁ ଯାଏଁ କାମ କରିବାର ବଳ ଆଜି ବି ତାଙ୍କୁ ଏକ ‘ଚଳନ୍ତି ପ୍ରତିମା’ ଭାବେ ଗଢ଼ି ତୋଳିଛି। ତାଙ୍କର ଏହି ଆତ୍ମନିର୍ଭରଶୀଳତା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଜୀବନର ସଂଘର୍ଷରୁ ଶିଖିଥିବା ଏକ କଠୋର ଶିକ୍ଷା, ଯାହାକୁ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ସାଥିରେ ଧରି ରଖିବାକୁ ଚାହାଁନ୍ତି।
ଆମର ବନ୍ଧୁବାନ୍ଧବ, ସାଇ ପଡ଼ୋଶୀ ଏବଂ ଜ୍ଞାତିକୁଟୁମ୍ବଙ୍କ ଆଖିରେ ବୁଢ଼ୀ ମା ଥିଲା କେବଳ ଜଣେ ‘କୃପଣ’ ବା ‘କଞ୍ଜୁସ’ ସ୍ତ୍ରୀ ଲୋକ। ସମସ୍ତେ ତା’ ଉପରେ ବିରକ୍ତି ପ୍ରକାଶ କରନ୍ତି କାହିଁକି କେଜାଣି କେହି ଘରକୁ ଅତିଥି ଭାବେ ଆସିଲେ ସେ ସହିପାରେନି। ଗାଁର କୌଣସି ଉତ୍ସବ, ଯାନିଯାତ୍ରା କିମ୍ବା ମେଳଣରେ ସେ କାହା ସହ ମିଶେନି। ଘରର ଏକ ଅନ୍ଧାରିଆ କୋଣରେ ଚୁପଚାପ୍ ବସିରହେ ସତେ ଯେମିତି ସେ ଏକ ସ୍ୱତନ୍ତ୍ର ଦ୍ୱୀପର ବାସିନ୍ଦା। ବେଳେବେଳେ ତା’ର ଏହି ଅସ୍ୱାଭାବିକ ଆଚରଣ ଯୋଗୁଁ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ତା’ ଉପରେ ଅତିଷ୍ଠ ହୋଇପଡ଼ନ୍ତି ଏବଂ ତାକୁ ସମାଲୋଚନା କରିବାକୁ ବାଧ୍ୟ ହୁଅନ୍ତି।
କିନ୍ତୁ ବୁଢ଼ୀ ମାର ଏହି ରୁକ୍ଷ ଗୁଣ ମୋତେ ସବୁବେଳେ ଏକ ଗଭୀର ଚିନ୍ତାର ଗର୍ତ୍ତକୁ ଠେଲିଦିଏ। ମୁଁ ସେହି ମଣିଷଟି ସହ ମୋ ଜୀବନର ସବୁଠାରୁ ସ୍ୱପ୍ନିଳ ଓ ସୁରିଲା ଶୈଶବ ବିତାଇଛି। ମୋ ପାଇଁ ସେ ଥିଲା ଶ୍ରଦ୍ଧା ଓ ମମତାର ଏକ ଅଫୁରନ୍ତ ଉତ୍ସ। ଜଣେ କର୍ମଠ ମଣିଷ ଭାବେ ତା’ର ପରିଚୟ ଥିଲେ ହେଁ, କେଉଁ ଏକ ଅଜ୍ଞାତ କାରଣରୁ ତା ଭିତରେ ଲୁଚି ରହିଥିବା ସେହି କ୍ରୋଧାନ୍ୱିତ ରୂପ ମୋତେ ବିଚଳିତ କରେ। ସତରେ କ’ଣ ବୁଢ଼ୀ ମା ଏମିତି? ତା’ର ସେହି କଠୋର ଆବରଣ ତଳେ କେଉଁ ରହସ୍ୟ ଲୁଚି ରହିଛି, ତାହା ଜାଣିବା ପାଇଁ ମୋ ମନ ଭିତରେ ଏକ ଅଦମ୍ୟ ଆକାଂକ୍ଷା ସୃଷ୍ଟି ହୁଏ। ଏକ ଅଜଣା ଆକୁଳତା ମୋତେ ଛଟପଟ କରିଦିଏ, ଅସ୍ତବ୍ୟସ୍ତ କରିପକାଏ।
ସମୟର ଚକ୍ର ଗଡ଼ିବା ସାଙ୍ଗକୁ ବୁଢ଼ୀ ମାର ଶରୀର ଏବେ ଶିଥିଳ ହୋଇ ଆସିଲାଣି। ଆଖିକୁ ଆଉ ଆଗ ଭଳି ସ୍ପଷ୍ଟ ଦେଖାଯାଉନି, କିନ୍ତୁ ସ୍ୱାଭିମାନୀ ମଣିଷଟି ଏବେ ବି ନିଜ କାମ ନିଜେ କରିବାକୁ ବ୍ୟାକୁଳ। ତାର ପାନିଆ, ଗୁଣ୍ଡି ହେଉ କି ସେଫ୍ଟିପିନ୍, ତାର ଛୋଟ ମୋଟ ଆବଶ୍ୟକତା ଗୁଡ଼ିକ ମୁଁ ପୂରଣ କରିଦେଉଥିବାରୁ ସେ ମୋତେ ଭାରି ଶ୍ରଦ୍ଧା କରେ। ଦିନେ ଅପରାହ୍ନରେ ଛାତ ଉପରୁ ଓହ୍ଲାଇବା ବେଳେ ମୁଁ ସ୍ତମ୍ଭୀଭୂତ ହୋଇ ରହିଗଲି। ବୁଢ଼ୀ ମା ଗାଧୋଇ ସାରି ଠାକୁରଙ୍କ ଆଗରେ ନତମସ୍ତକ ହୋଇ ଗୁଣୁଗୁଣୁ ହେଉଥିଲା। ମୋ ଶୈଶବରୁ ମୁଁ ତା’ର ଏହି ଜୁହାର ହେବାର ଦୃଶ୍ୟ ଦେଖିଛି, କିନ୍ତୁ ସେ କ’ଣ କହେ, ତାହା କେବେ ଶୁଣିନଥିଲି। ସେଦିନ ମୁଁ କାନ୍ଥ ଅଢୁଆଳରେ ଲୁଚି ରହି ତାର ସେହି ଅସ୍ପଷ୍ଟ ଶବ୍ଦଗୁଡ଼ିକୁ ଶୁଣିବାକୁ ଚେଷ୍ଟା କଲି। ସେ ନିଭୃତରେ ପ୍ରାର୍ଥନା କରୁଥିଲା ହେ ଅଙ୍କୁଡ଼ାଶୁଣୀ ମା’, ମୋ ମାତାଜୀକୁ (ବୋଉ), ମୋ ହରିକୁ(ବାପା) ଆଉ ମୋ ନାତି ନାତୁଣୀଙ୍କୁ ଘଣ୍ଟା ଘୋଡ଼ାଇ ରଖିଥା। ସେମାନେ ଭଲରେ ରୁହନ୍ତୁ, ସବୁବେଳେ ଖୁସିରେ ରୁହନ୍ତୁ। ମୁଁ କିଛି ସମୟ ପାଇଁ ଆତ୍ମହରା ହୋଇଗଲି। ଯେଉଁ ମଣିଷଟି ଟିକେ ଟିକେ କଥାରେ ରାଗିଯାଏ, ଚିଡ଼ିଯାଏ, କାହା ସହ ଭଲରେ ମିଶିପାରେ ନାହିଁ ବୋଲି ଆମେ ଭାବୁଥିଲୁ, ସେ ନିଜ ପାଇଁ କିଛି ନମାଗି ସାରା ଜୀବନ ଆମ ପାଇଁ କୁଳଦେବୀଙ୍କ ପାଖରେ ଓଗାଳି ହେଉଛି? ସତରେ କ’ଣ ଆମର ଏହି ପଚାଶ ବର୍ଷର ଶାନ୍ତି ପଛରେ ଏହି ନିଃସ୍ୱାର୍ଥପର ପ୍ରାର୍ଥନାର ଶକ୍ତି ରହିଛି? ମୋ ଭିତରେ ଜଣେ ଅଜ୍ଞାତ ମଣିଷକୁ ଜାଣିବାର ବ୍ୟାକୁଳତା ବଢ଼ିଗଲା। ମୁଁ ଧୀରେ ଯାଇ ତା’ ପାଖରେ ବସିଲି ଏବଂ ତା’ର ଅତୀତ ସମ୍ପର୍କରେ ପଚାରିଲି। ସେ ଯାହା କହିଲା, ତାହା ଶୁଣିବା ପରେ ମୋ ଆଖିରୁ ଅଜାଣତରେ ଦୁଇଟୋପା ଲୁହ ଝରିପଡ଼ିଲା।
ବୁଢ଼ୀ ମା’ର ଶୈଶବ ଥିଲା କେବଳ ଅନ୍ଧକାରମୟ। ଖୁବ୍ କମ୍ ବୟସରୁ ବାପା ଚାଲିଯିବା ପରେ ସମ୍ପର୍କୀୟମାନେ ତାଙ୍କ ଜମିବାଡ଼ି ହଡ଼ପ କରି ତାଙ୍କୁ ଓ ତାଙ୍କ ବିଧବା ମା’ଙ୍କୁ ବେସହାରା କରି ଘରୁ ବାହାର କରିଦେଇଥିଲେ। ପାଠପଢ଼ା ସ୍ୱପ୍ନ ପାଲଟିଗଲା। ଟଙ୍କାଟିଏ ରୋଜଗାର ପାଇଁ ତାଙ୍କୁ ଓ ତାଙ୍କ ମା’ଙ୍କୁ ଦାରିଦ୍ର୍ୟ ସହ ସଂଗ୍ରାମ କରିବାକୁ ପଡ଼ିଥିଲା। ଗଣ୍ଡେ ଖାଇବା ପାଇଁ ସେହି କଷ୍ଟ, ସ୍ୱାର୍ଥପର ଦୁନିଆର ସେହି କଟୁ ବ୍ୟବହାର ତାଙ୍କ ହୃଦୟରେ ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା। ବିବାହ ପରେ ବି ସ୍ଥିତି ବଦଳିଲାନି; ବିଲରେ ଖଟିବା ଠାରୁ ଗାଈ ସେବା ପର୍ଯ୍ୟନ୍ତ ସବୁକିଛି ସେ କରିଛନ୍ତି କେବଳ ନିଜ ପରିବାରକୁ ଗଣ୍ଡେ ଖାଇବାକୁ ଦେବା ପାଇଁ।
ସେଦିନ ମୁଁ ବୁଝିଲି, ସେ କାହିଁକି ସେହି ଖୁଚୁରା ପଇସା ଗୁଡ଼ିକୁ ସାରୁ ଭଳି ସାଇତି ରଖୁଥିଲେ। ଯେଉଁ ଏକ ଟଙ୍କା ରୋଜଗାର କରିବା ପାଇଁ ତାଙ୍କୁ ଦିନେ ଦଶ ଦଶ ଦିନ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା, ସେ ପଇସାକୁ ସେ ଅଯଥାରେ କେମିତି ବରବାଦ ହେବାକୁ ଦିଅନ୍ତେ? ଆମେ ହୁଏତ ଦ୍ୱାବିଂଶ ଶତାବ୍ଦୀର ଚକଚକିଆ ଦୁନିଆରେ ଏକ ଟଙ୍କାକୁ ତୁଚ୍ଛ ମନେକରୁ, କିନ୍ତୁ ତାଙ୍କ ପାଇଁ ତାହା ଥିଲା ରକ୍ତଭିଜା ପରିଶ୍ରମର ମୂଲ୍ୟ। ଅଭାବର ସେହି କରାଳ ସ୍ମୃତି ତାଙ୍କ ମନରୁ କେବେ ଯାଇନାହିଁ ଘରକୁ ଅତିଥି ଆସିଲେ ସେ ସେଥିପାଇଁ ଡରିଯାଆନ୍ତି କି କାଳେ ପୁଣି ସେହି ଦୁର୍ଦ୍ଦିନ ଫେରିଆସିବ, କାଳେ ସେମାନେ ଆଉ ଗଣ୍ଡେ ପେଟକୁ ଖାଇବାକୁ ପାଇବେନି। ସେଦିନ ରାତିରେ ମୋତେ ଆଉ ନିଦ ହେଲାନି। ମୁଁ କେବଳ ଏତିକି ଭାବୁଥିଲି ଆମେ ଜୀବନକୁ ଯେଉଁ ଦୃଷ୍ଟିକୋଣରୁ ଦେଖୁ, ବାସ୍ତବତା ହୁଏତ ତା’ଠାରୁ ବହୁତ ଦୂରରେ ଏକ ଭିନ୍ନ ରୂପରେ ବିଦ୍ୟମାନ।
ଆଜି ସକାଳୁ ଘରର ପରିବେଶ ଅସ୍ୱାଭାବିକ ଭାବେ ନିଶବ୍ଦ ଥିଲା, ଅଥଚ ଅଗଣାରେ ଜମିଥିଲା ଆତ୍ମୀୟ ସ୍ୱଜନଙ୍କ ଅପର୍ଯ୍ୟାପ୍ତ ଭିଡ଼। ମୁଁ ନିଦରୁ ଉଠି ଦେଖିଲି ବୁଢୀ ମା ଚାରିପଟେ ସମ୍ପର୍କୀୟଙ୍କ ଗହଳି, ବୋଉ କାନ୍ଦି କାନ୍ଦି ହାତରେ ଅଳ୍ପ କିଛି ଖାଦ୍ୟ ଧରି ତା’ ମୁଣ୍ଡ ପାଖରେ ବସିଛନ୍ତି। ଦୀପର ସ୍ନିଗ୍ଧ ଆଲୋକ ଆଉ ଗୀତା ପାଠର ଗମ୍ଭୀର ସ୍ୱରରେ ବାୟୁମଣ୍ଡଳ ଭାରୀ ହୋଇ ଉଠୁଥିଲା। ମୁଁ କିଛି ବୁଝିବା ପୂର୍ବରୁ ଦେଖିଲି, ବୁଢ଼ୀ ମା’ ତାର ସେହି ବହୁ ପ୍ରତିକ୍ଷିତ ଖୁଚୁରା ପଇସା ଭର୍ତ୍ତି ଜରି ପୁଟୁଳିଟିକୁ ଶେଷ ଥର ପାଇଁ ମା’ଙ୍କ ହାତକୁ ବଢ଼ାଇ ଦେଇ କହିଲା ଏଇଟା ରଖିଥା, ମୋ ପାଖରେ ରହି ଆଉ କିଛି ଲାଭ ନାହିଁ, ତୁମମାନଙ୍କ ପାଇଁ ହିଁ ସାଇତି ରଖିଥିଲି।
ମୁଁ ସେହି ମୁହୂର୍ତ୍ତରେ ସ୍ତମ୍ଭୀଭୂତ ହୋଇ ଚାହିଁ ରହିଥିଲି। ସତରେ, ସେହି ଅଳ୍ପ କିଛି ସଞ୍ଚିତ ଖୁଚୁରା ପଇସା ତା ପାଇଁ କେବଳ ଧାତୁର ମୁଦ୍ରା ନଥିଲା ବରଂ ଜୀବନର ସର୍ବଶ୍ରେଷ୍ଠ ଉପାର୍ଜିତ ସମ୍ପତ୍ତି ଥିଲା। ଯେଉଁ ଏକ ଟଙ୍କା ପାଇଁ ଦିନେ ସେ ନିଜ ଯୌବନରେ ଅକଥନୀୟ କଷ୍ଟ ସହିଥିଲା, ଆଜି ବି ତା ପାଇଁ ସେହି ପଇସାର ମୂଲ୍ୟ ଅପରିବର୍ତ୍ତିତ ଥିଲା। ଆମ ପାଇଁ ହୁଏତ ସେଇଟା ଗୋଟିଏ ସାମାନ୍ୟ ଚକୋଲେଟ୍ କିମ୍ବା ଆଇସକ୍ରିମର ମୂଲ୍ୟ ହୋଇପାରେ, କିନ୍ତୁ ତା ପାଇଁ ତାହା ଥିଲା ଏକ ସଂଘର୍ଷମୟ ଜୀବନର ପୁଞ୍ଜି।
ବୋଉ ସେହି ପଇସା ଥଳିଟିକୁ ମୋ ହାତକୁ ବଢ଼ାଇ ଦେଇ କହିଲେ ରଖିଥା ପୁଅ, ଏଇଟା ଠାକୁରଙ୍କ କାମରେ ଲାଗିବ। କଥାଟି କହୁ କହୁ ମା’ଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା। ଦୀପର ଶିଖା ଧୀରେ ଧୀରେ ନିଷ୍ପ୍ରଭ ହେବାକୁ ଲାଗିଲା ଆଉ ଗୀତା ପାଠର ସ୍ୱର ତୀବ୍ରତର ହେଲା। ମୁଁ ସେହି ପଇସା ଗୁଡ଼ିକୁ ଗଣୁଥିବା ବେଳେ ହୃଦୟର କେଉଁ ଏକ ନିଭୃତ କୋଣରୁ ଅଶ୍ରୁର ଦୁଇଟି ଶୁଭ୍ର ଟୋପା ଝରିପଡ଼ି ସେହି ଜରାଜୀର୍ଣ୍ଣ ଜରି ପୁଟୁଳି ଉପରେ ପଡ଼ିଲା। ଲୁହ ପଡ଼ିବାର ‘ଟପ୍ ଟପ୍’ ଶବ୍ଦଟି ସେହି ନିସ୍ତବ୍ଧ କୋଠରୀରେ ଏକ ଅଜବ କମ୍ପନ ସୃଷ୍ଟି କଲା। ସତେ ଯେମିତି ସେହି ସାମାନ୍ୟ ଶବ୍ଦ ଭିତରେ ବୁଢ଼ୀମା’ର ସାରା ଜୀବନର ସଂଘର୍ଷ, ତା’ର ରକ୍ତାକ୍ତ ଅତୀତର ସେଇ ଅକୁହା କାହାଣୀ ଏବଂ ତା’ର ସନ୍ତାନମାନଙ୍କ ପାଇଁ ଥିବା ଅନ୍ତିମ ଅଭିଳାଷ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା।
ବୁଢ଼ୀମା’ର ସେହି ରୁକ୍ଷ ପଣତରେ ସାଇତା ହୋଇଥିବା ଖୁଚୁରା ପଇସାଗୁଡ଼ିକ ଆଉ କେବଳ ଧାତୁର ଖଣ୍ଡ ହୋଇ ରହିନଥିଲେ, ସେଗୁଡ଼ିକ ପାଲଟି ଯାଇଥିଲେ ଏକ ମାତୃହୃଦୟର ଅମୂଲ୍ୟ ସଞ୍ଚୟ। ସେହି ଶବ୍ଦ ଭିତରେ ମୁଁ ଶୁଣିପାରୁଥିଲି ବୁଢ଼ୀମା’ର ସେହି ଆଶୀର୍ବାଦ, ଯାହା ସେ ଜୀବନ ସାରା ଲୁଚାଇ ରଖିଥିବା କଠୋର ଆବରଣ ତଳୁ ଆଜି ମୁକ୍ତ ହୋଇ ଝରିପଡ଼ୁଥିଲା। ଏହି ସାମାନ୍ୟ ଖୁଚୁରା ପଇସା ଗୁଡ଼ିକ ଆଜି ମୋ ପାଇଁ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟି ଯାଇଥିଲା।